'ନିର୍ମାଣ'- ସୁସ୍ଥ ଓ ନିରନ୍ତର ବିକାଶ ଦିଗରେ ଏକ ଉଦ୍ୟମ
‘ନିର୍ମାଣ’ର ପ୍ରତିଷ୍ଠା ହୁଏ କୃଷି- ଓ ଜଙ୍ଗଲ ନିର୍ଭର ଗ୍ରାମଗୋଷ୍ଠୀମାନଙ୍କର ସେଇ ବିଡ଼ମ୍ବିତ ପରିସ୍ଥିତି ଭିତରେ ଯାହା 1990ର ଦଶକରେ ଓଡ଼ିଶାରେ ଉତ୍କଟ ହୋଇ ଉଠିଥିଲା I ଏହାର ପୃଷ୍ଠଭୂମିରେ ରହିଥିଲା ନୟାଗଡ଼ ଜିଲ୍ଲାର ଗୋଟିଏ ଗାଁ’ ବିରୁଡ଼ା ଯେଉଁଠି ଏକ କୃଷିଜୀବୀ ପରିବାରର ସନ୍ତାନ ରୂପେ ‘ନିର୍ମାଣ’ର ପ୍ରତିଷ୍ଠାତା ତଥା ବର୍ତ୍ତମାନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେଖିଥିଲେ ପରମ୍ପରା ଓ ଆଧୁନିକତାର ବିରୋଧାଭାସ ଭିତରେ ଛନ୍ଦି ହୋଇ ପଡ଼ିଥିବା କୃଷି ଓ କୃଷକକୁ ; ଦିନକୁ ଦିନ ସ୍ୱାବଲମ୍ବିତା, ସ୍ୱାସ୍ଥ୍ୟ-ଅନୁକୂଳତା, ତଥା ଭରସା ହରାଉଥିବା ଏକ ମହା-ଜୀବିକାର ବିପର୍ଯ୍ୟୟକୁ; ଆଉ ମଧ୍ୟ ନିଜ ଉଦ୍ୟମରେ ବର୍ଷ ବର୍ଷ ଧରି ଜଙ୍ଗଲ ସୁରକ୍ଷା କରି ଆସିଥିବା ସେଇ ଗ୍ରାମଗୋଷ୍ଠୀମାନଙ୍କର ଉଦ୍ୟମକୁ ଆଇନଗତ ସ୍ୱୀକୃତି ନ ମିଳିବାରୁ ଏକ କଠିନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିଲା; ନିଜର ‘ଲୁହଲହୁ ଦେଇ’ ଯେଉଁ ଜଙ୍ଗଲର ସେମାନେ ସୁରକ୍ଷା କରୁଥିଲେ, କାଗଜପତ୍ରରେ ତା’ର ମାଲିକ ହୋଇ ବସିଥିବା ବନ ବିଭାଗ କିନ୍ତୁ ସେମାନଙ୍କ ଅଧିକାରକୁ ମାନିବାକୁ ରାଜି ନ ଥିଲା, ନିଜ ଇଚ୍ଛାରେ କାଠ ବାଉଁଶ କାଟି /କଟାଇ ନେଉଥିଲା I ଗ୍ରାମବାସୀମାନଙ୍କର ଏଇ ସବୁ ବିଡ଼ମ୍ବନା ଓ ସଂଘର୍ଷ ଦେଖିବା ପରେ ସେମାନଙ୍କ ପାଇଁ କିଛି କରିବାର ଭାବନା ନେଇ 1997 ମସିହାରେ ‘ନିର୍ମାଣ’ର ବିଧିବଦ୍ଧ ପଞ୍ଜୀକରଣ କରାଯାଏ ଏବଂ ଅନୁଷ୍ଠାନର ଉଦ୍ୟମ ଆରମ୍ଭ ହୁଏ I ଇତି ମଧ୍ୟରେ 23 ବର୍ଷ ବିତି ଯାଇଛି ; ‘ନିର୍ମାଣ’ର ଜନ-ଆଦୃତି, ବିଶ୍ୱସନୀୟତା , ଓ କାର୍ଯ୍ୟ ପରିସର ଯେପରି ବଢ଼ିଛି; ସେଇଭଳି ମଧ୍ୟ ବଢ଼ିଛି ସମାଜରେ ତା’ର ଦାୟିତ୍ୱ , ଆହ୍ୱାନ , ତଥା ପ୍ରତ୍ୟାଶା I
ବ୍ୟାବହାରିକ ଦୃଷ୍ଟିରୁ ଏଭଳି ଦାୟିତ୍ୱ ସବୁର ସଫଳ ସମ୍ପାଦନା ପାଇଁ ‘ନିର୍ମାଣ’ର ଯୋଗାଯୋଗ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ସ୍ଥାପିତ ହେବା ପରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଭଳି କେତେକ ଜିଲାସ୍ତରୀୟ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ଖୋଲିଛି; ରାଜ୍ୟ-, ଦେଶ-, ତଥା ବିଦେଶର ସମଭାବାପନ୍ନ ସାମାଜିକ କର୍ମୀ ତଥା ଅନୁଷ୍ଠାନ ସହିତ ସହଯୋଗ ତଥା ଆଦାନପ୍ରଦାନ ବଢ଼ିଛି ଏବଂ ‘କଥା କମ୍, କାମ ବେଶି’ ନୀତି ସହିତ ସ୍ୱତଃ ଏକାତ୍ମ ହୋଇଯାଇଥିବା ‘ନିର୍ମାଣ’ର ଅପେକ୍ଷାକୃତ ନିରବ, ନିରାଡ଼ମ୍ବର, ଅଥଚ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକାର କରି ଓଡ଼ିଶା ସରକାରଙ୍କର କୃଷି ବୈଷୟିକ ପରିଚାଳନା ସଂସ୍ଥା ‘ଆତ୍ମା’ ଠାରୁ ଆରମ୍ଭ କରି ଆମେରିକାର ‘ନମତି’ ଅନୁଷ୍ଠାନ ପର୍ଯ୍ୟନ୍ତ ପ୍ରଶଂସାପତ୍ର ଦେଇଛନ୍ତି I
‘ନିର୍ମାଣ’ କାମ କରୁଛି ପରିବେଶ-ଅନୂକୁଳ କୃଷି, ଜଂଗଲ ସୁରକ୍ଷା, ଖାଦ୍ୟ ସୁରକ୍ଷା, ଜୀବିକା ସୁରକ୍ଷା , ବର୍ଷା ଜଳ ସଂରକ୍ଷଣ, ଜମି ଅଧିକାର , ପାରିବେଶିକ ନ୍ୟାୟ , ତଥା ଜଳବାୟୁ ପରିବର୍ତ୍ତନ ଭଳି ଅନେକ ପ୍ରସଙ୍ଗରେ ; ଏବଂ ଏହାର ଉଦ୍ୟମରେ ସଂରକ୍ଷିତ ହୋଇପାରିଛି ଅନେକ ପାରମ୍ପରିକ ବିହନ , ଜମି ପଟ୍ଟା ମିଳିଛି ବହୁ ଗରିବ ଆଦିବାସୀଙ୍କୁ , ପ୍ରସାରିତ ହୋଇଛି ପରିବେଶ- ତଥା ଚାଷୀ ଅନୂକୁଳ ଧାନ- ଓ ଆଖୁ ଚାଷ , ଏବଂ ପ୍ରକାଶିତ ହୋଇଛି ଓଡ଼ିଆ ତଥା ଇଂରାଜୀ ଭାଷାରେ ଅନେକ ଲୋକ-ଉପଯୋଗୀ ପୁସ୍ତିକା I ନିମ୍ନରେ ଆପଣମାନେ ସେଭଳି କେତେକ ଓଡ଼ିଆ ପୁସ୍ତିକାକୁ ଇଣ୍ଟରନେଟ ମାଧ୍ୟମରେ ନିଃଶୁଳ୍କ ପଢ଼ିପାରିବେ I
ଅଧିକ ବିବରଣୀ ପାଇଁ ଆମ ଭୁବନେଶ୍ୱର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ I